Unknown

 

 

 

 

 

 

 

 

 

ଉତ୍କଳ ଗାଥା

ଭକ୍ତକବି ମଧୁସୂଦନ ରାଓ

 

 

 

 

 

 

 

ଉତ୍ସର୍ଗ ପତ୍ର

ଉତ୍କଳ-ମିଳନ-ମେଳା-ପ୍ରବର୍ତ୍ତକ, ଉତ୍କଳର ସୁପୁତ୍ର

ଶ୍ରୀମନ୍ମାନନୀୟ

ଶ୍ରୀଯୁକ୍ତ ସାମନ୍ତ ମଧୁସୂଧନ ଦାସ ମହୋଦୟ –

ଶ୍ରକରକମଳେ ଏ ‘ଉତ୍କଳ-ଗାଥା’ ସାଦରେ ଅର୍ପିତ ହେଲା ।

 

କଟକ, ୨୦।୧୨।୧୯୦୩ ଶ୍ରୀ ମଦୁସୂଧନ ରାଓ

 

 

 

ଉତ୍କଳ ସଙ୍ଗୀତ

 

ବାରେ ଡାକ ହେ ଉତ୍କଳସୁତେ,

 

ମା ଉତ୍କଳଭୂମି ଜନନୀ

 

ପାନ କର ମା-ନାମ-ଅମୃତେ,

 

ଗାଅ ମା ମା ଦିନ-ରଜନୀ

।୧।

ବାରେ ଚିନ୍ତ ପ୍ରେମଭକ୍ତିଭରେ,

 

ଜନନୀ-ବିଭବ-ଗୌରବେ,

 

ଜନ୍ମଭୂମି ଜନନୀ-ପୟରେ,

 

ବନ୍ଦ ହେ ଜୟ ଜୟ ରବେ

।୨।

ଧର୍ମକ୍ଷେତ୍ର ଉତ୍କଳର ଜୟ,

 

ଯୁଗ-ଯୁଗ-ବ୍ୟାପୀ ଭାରତେ,

 

ବୌଦ୍ଧଗୁମ୍ଫା ବୌଦ୍ଧମୂର୍ତ୍ତିଚୟ,

 

ରାଜଇ ପର୍ବତେ ପର୍ବତେ

।୩।

ଶୈବତୀର୍ଥ ଶ୍ରୀ ଭୁବନେଶ୍ୱର,

 

ନିରୁପମରୂପେ ବିରାଜେ ।

 

ଶତ ଶତ ମନ୍ଦିର ସୁନ୍ଦର,

 

ଶୋଭଇ ଅପରୂପ ସାଜେ

।୪।

ଶୁଭସ୍ତମ୍ଭ ବୈତରଣୀ ତଟେ,

 

ଦେଖ ହେ ନୟନ ବିସ୍ଫାରି;

 

ବିରାଜିତ ତୁଙ୍ଗେ ବ୍ୟୋମପଟେ,

 

ଉତ୍ସାହ ଅଭୟ ସଞ୍ଚାରି

।୫।

ନିରେଖ ହେ ମହୋଦଧି ତୀରେ,

 

ନୀଳାଚଳ ଧାମ ଶ୍ରୀକ୍ଷେତ୍ରେ,

 

ହିନ୍ଦୁହୃଦ ଆକୁଳ ଅଧୀରେ,

 

ଦେଖିବାକୁ ଯେ ଧାମ ନେତ୍ରେ

।୬।

ସ୍ମର ବାରେ ହେ ଉତ୍କଳବାସୀ,

 

କୋଣାର୍କ ଶିଳା-ଶିଳ୍ପ-ରତ୍ନେ ।

 

ଆହା କି ମୋହନ ରୂପ-ରାଶି,

 

ଉନ୍ମିଳିତ ଶିଳ୍ପୀର ଯତ୍ନା

।୭।

ଏହି ସେହି କଳିଙ୍ଗ-ଧରିତ୍ରୀ,

 

ଯହିଁ ଧୌଳି, ଜୌଗଡ଼ ରାଜେ !

 

ଶିଳାକ୍ଷରେ ଯହିଁ ‘ଜୀବେ ମୈତ୍ରୀ’

 

ଘୋଷିତ ଅଶୋକ-ସାମ୍ରାଜ୍ୟେ

।୮।

ଏହି ସେହି ଉତ୍କଳ-ଧରଣୀ,

 

ଯହିଁ ହରିନାମ ପ୍ରଚାରି,

 

ଦେଖାଇଲେ ଭକତି-ସରଣୀ

 

ଶ୍ରୀ ଚୈତନ୍ୟ ପ୍ରେମ-ଭିଖାରି

।୯।

ମହାନଦୀ-ବ୍ରାହ୍ମଣୀ-ସେବିତ,

 

ସୁବର୍ଣ୍ଣରେଖା-ୠଷିକୁଲ୍ୟା-

 

ବୈତରଣୀ-ପ୍ରବାହ-ପ୍ଳାବିତ,

 

ଉତ୍କଳ-ସୁଷମା ଅତୁଲ୍ୟା

।୧୦।

ମହୋଦଧି ଦିଗନ୍ତ-ବିସ୍ତାରି,

 

ଚିଲିକା ହ୍ରଦ ଜଳାରାଶି

 

ଅଟବୀ-ଅଚଳ-ବ୍ରଜଧାରୀ,

 

ଉତ୍କଳ ଚିତ୍ତ-ଉଲ୍ଲାସୀ

।୧୧।

ଶିଳାବନ୍ଧବେଷ୍ଟିତ କଟକେ,

 

ଭଗ୍ନ ବାରବାଟୀ ଅଦୂରେ,

 

ସ୍ମର ବାରେ କଳ୍ପନା-ଛଟକେ,

 

ପୂରୁବ ଯଶୋଧନ ଶୂରେ

।୧୨।

ପୂରୁବ ଉନ୍ନତ-ପଦ-ଭ୍ରଷ୍ଟ,

 

ହେ ଉତ୍କଳ ନବ୍ୟ ସମାଜ !

 

ଉତ୍କଳର କି ଦୁର୍ଗତି କଷ୍ଟ

 

ଉତ୍କଳୀୟେ ଦେଖ ହେ ଆଜ

।୧୩।

ଆଜି ଝାଡ଼ଖଣ୍ଡ ଜନପଦ,

 

ଭଞ୍ଜଭୂମି ଆଦି ବିରାଜେ,

 

ପୁରାତନ ଗୌରବ-ସମ୍ପଦ-

 

ଚିହ୍ନମାତ୍ର ଓତ୍ରସମାଜେ

।୧୪।

ଏବେ ଦେଖ ବ୍ରିଟିଶ ସୁରାଷ୍ଟ୍ରେ,

 

ଧୀରେ ଲଭି ନବ ଚେତନା,

 

ପଞ୍ଜାବରେ ବଙ୍ଗେ ମହାରାଷ୍ଟ୍ରେ,

 

ଲାଗିଛି କର୍ମର ସାଧନା

।୧୫।

ଅଳସ ନିଶ୍ଚେଷ୍ଟ ମ୍ରିୟମାଣ,

 

ଉତ୍କଳୀୟେ ନ ରହ ଆଉ,

 

କର୍ମର ସାଧନେ ଦିଅ ଦିଅ ପ୍ରାଣ,

 

ଲାଜ ହୀନତା ଚାଲି ଯାଉ

।୧୬।

ଅରଜ ହେ କର୍ମର ସମ୍ପଦ,

 

‘କର୍ମହିଁ ଧର୍ମ’ ମନ୍ତ୍ର ଜପି

 

ହୁଅ ସତ୍ୟଜ୍ଞାନ-ବିଶାରଦ,

 

ବଳ ବୁଦ୍ଧି ସର୍ବ ଅରପି

।୧୭।

ଜ୍ଞାନ-କର୍ମ-ତପସ୍ୟାର ବଳେ,

 

ଏ ଭାରତ-ମହୀ-ମଣ୍ଡଳେ

 

ଜିଣି ସିଦ୍ଧି ଭବରଙ୍ଗତଳେ

 

ଉଜ୍ଜ୍ୱଳ କର ହେ ଉତ୍କଳେ

।୧୮।

Image

 

ଉତ୍କଳ-ବନ୍ଦନା

 

(୧)

ଜୟ ମା’ ଜନମଭୂମି ଉଦାର ଉତ୍କଳଭୂମି,

ତୋର ସ୍ନେହ-କୋଳେ ମା ଗୋ ଜନ୍ମ ଆମ୍ଭର ।

କୋଟି ସୁତ ଘେନି କୋଳେ ପାଳୁଅଛୁ ସ୍ନେହ ଭୋଳେ

ତୁହିଁ ମା’ କରୁଣାମୟୀ କରି ଆଦର ।

ତୋ ବକ୍ଷର ଅମୃତରସ,

ସୁଖୀ କରୁଛି ମା କୋଟି କୋଟି ମାନସ ।

 

(୨)

ତୁହି ମା’ ଶୋଭାସଦନ, ସିନ୍ଧୁ ଧୁଅଇ ଚରଣ,

କେତେ ନଦୀ ଗିରି ବନ ଶୋଭେ ତୋ ଦେହେ ।

ଧର୍ମର ତୁ କମାଧେନୁ, ପୁଣ୍ୟମୟ ତୋର ରେଣୁ,

କେତେ ମହାତୀର୍ଥ ଧରିଅଛୁ ମା ସ୍ନେହେ ।

କୋଟି କୋଟି ପୁରୁଷ ନାରୀ;

ତୋର ପଦତଳେ ବସି ମୁକ୍ତି-ଭିକାରି ।

 

 

(୩)

କେତେ କେତେ ତପୋଧନ କେତେ ସାଧୁ ମହାଜନ

ତୋର ସିନ୍ଧୁ ତଟେ ଅବା ଗିରି କନ୍ଦରେ ।

ତପସ୍ୟା ସାଧନ କରି ହୃଦେ ମହାଭାବ ଧରି

ପ୍ରଚାରିଲେ ଯୁଗଧର୍ମ ଆନନ୍ଦଭରେ ।

ଶଙ୍କରାଦି ମହାତ୍ମା ଜନେ,

ବିମୋହିତ ତୋର ଦିବ୍ୟ ଜ୍ୟୋତି-ଦର୍ଶନେ ।

 

(୪)

କେତେ କେତେ ଧର୍ମବୀର ନିର୍ମିଲେ ମହାମନ୍ଦିର

ଯଯାତି ଲଲାଟ-ଇନ୍ଦୁ-ଅନଙ୍ଗଭୀମ ।

ପୁଣି କେତେ ଯୁଦ୍ଧବୀରେ ଯଶ ଅର୍ଜିଲେ ମହୀରେ

ରଣେ ପରକାଶି ବଳ ବୀର୍ଯ୍ୟ ଅସୀମ ।

ତୁହି ମା ଗୋ ବୀରଜନନୀ,

ତୋ ଯଶରେ ପୂରିଥିଲା ଏହି ହବନୀ ।

 

 

(୫)

ଜନମିଲେ ତୋ କୋଳରେ ସାରଳାଦି କବି-ବରେ

ପୂର୍ଣ୍ଣ ତୋର କାବ୍ୟକୁଞ୍ଜ ଅମର ଗୀତେ ।

ତୋ ମହିମା ତୋ ଗୌରବ ତୋହର ପୁଣ୍ୟ ବିଭବ

ସୁମରି, ମା ମାତୃଭୂମି, ତୋର ଅତୀତେ ।

ନମଇ ମା ଭକତିଭରେ,

ଅଧମ ଅକ୍ଷମ ସୁତ ତୋ ଚରଣରେ ।

Image

 

ଉତ୍କଳ ଜନନୀ ପ୍ରତି

 

(୧)

 

ବିଶାଳ ବିସ୍ତାର ତବ, ମା ଉତ୍କଳଭୂମି,

 

ଦେଖି ଆସିଲି ମୁଁ ଚାରି ଆଡ଼େ ଘୁମି ଘୁମି

କୋଟିଏ ସନ୍ତାନ ମା ଗୋ ଧରିଅଛୁ କୋଳେ,

 

ଗୋଟିଏ ମନୁଷ୍ୟ କିନ୍ତୁ ନ ଦେଖିଲି ଡୋଳେ

ସମସ୍ତେ ମୋହରି ପରି ମୋହେ ମୂଢ଼ମତି,

 

କ୍ଷୁଦ୍ର ସ୍ୱାର୍ଥକାରାରୁଦ୍ଧ, ନିସ୍ତେଜମୂରତି

ସର୍ବେ ଶୂଦ୍ରୀକୃତ ପୂଜି କ୍ଷୁଦ୍ର ମୁଦ୍ରାଖଣ୍ଡେ,

 

ମହାନ୍‍ ଅନନ୍ତେ କେହି ନ ପୂଜଇ ଦଣ୍ଡେ

ନଶ୍ୱର ଐଶ୍ୱର୍ଯ୍ୟମଦେ କେହି ଘାରି ହୋଇ

 

ବିଳାସ-ଆଳସ୍ୟ-ଶେଯେ ରହିଅଛି ଶୋଇ

ଅନେକେ ପଣ୍ଡିତମ୍ମନ୍ୟ ସ୍ଫୀତ ଅହଙ୍କାରେ,

 

ଜୀର୍ଣ୍ଣଶାସ୍ତ୍ର ତନ୍ତ୍ର ମନ୍ତ୍ର ଗିଳି ଅବିଚାରେ

ଧର୍ମ-ରଣ-କ୍ଷେତ୍ରେ କେହି ବୃଥା ବାବଦୂକ,

 

କର୍ମର ସମରାଙ୍ଗନେ ଚତୁର ଜମ୍ବୁକ

 

(୨)

 

କାହିଁ ମା ଗୋ ଧର୍ମବୀର, କାହିଁ କର୍ମବୀର,

କାହିଁ ମା ସେ ମହୋତ୍ସବ, ସାଧନା ସିଦ୍ଧିର ?

ମହତ-ମାନବ-ମନ ନ ଦେଖଇ କାହିଁ,

ଜଡ଼ତା-ଜଡ଼ିତ, ମୃତ ସର୍ବେ କାହିଁ ପାଇଁ ?

କାହିଁ କି ତିମିର ଘୋର ଘୋଟିଛି ଗଗନେ,

ନିଭାଇ ଆଶାର ତାରା, ପ୍ରେମର ତପନେ ?

ଜୀବନ-ଜାହ୍ନବୀସ୍ରୋତ ନ ଚଳଇ ଆଉ,

ଲାଗିଅଛି ଚାରିଆଡ଼େ ବୃତା ହାଉ ହାଉ ।

କାହିଁ ମା ସତ୍ୟର ସେହି ଉନ୍ମାଦିନୀ ଗୀତି,

କାହିଁ ବୀରପ୍ରସବିନୀ, ସେ ଅମୃତ ପ୍ରୀତି ?

ମୋହନାଗପାଶଛେଦୀ କାହିଁ ସେହି ଜ୍ଞାନ,

କାହିଁ ମା ତୋ କୋଳେ ବୀର ମାନବ-ସନ୍ତାନ ?

ନାହିଁ ପ୍ରାଣ, ନାହିଁ ଗତି, ଦଗ୍ଧ ମରୁସରି,

କାହିଁକି ମା ଏ ଦୁର୍ଗତି, କହ ଗୋ ସୁମରି ।

 

 

 

(୩)

 

ଶୁଣ ମା ଶୁଣ ମା ବାରେ ଡେରିଣ ଶ୍ରବଣ,

 

ବିପୁଳ ବିଶ୍ୱର ମଧୁମୟ ଆମନ୍ତ୍ରଣ

‘ଓଡ଼ିଆ ଓଡ଼ିମା’ – କ୍ଷୁଦ୍ର ହୁରି ଛାଡ଼ି କ୍ଷଣେ

 

ପଶନ୍ତୁ ଗୋ ତୋ ସନ୍ତାନେ ବିଶ୍ୱ-ସଭାଙ୍ଗନେ

ନିଖିଳ ମାନବହୃଦେ ମିଶାଇ ହୃଦୟ

 

ଗାଅନ୍ତୁ ବିଶ୍ୱାସଭରେ ‘ଜୟ ସତ୍ୟ ଜୟ’

ସତ୍ୟର ଆଲୋକ ପ୍ରାଣେ କରନ୍ତୁ ଧରଣ,

 

କରିବ ତିମିରରାଶି ବେଗେ ପଳାୟନ

କ୍ଷଣକେ ଉଠିବ ନାଚି ଜୀବନ-ଶୋଣିତ,

 

କ୍ଷଣକେ ସକଳ ପାପ ହୋଇବ ଖଣ୍ଡିତ

ଆଶାର ଆନନ୍ଦେ ମାତି ତୋ ସନ୍ତାନଗଣେ

 

ଧର୍ମବୀର, କର୍ମବୀର ହେବେ ଶୁଭକ୍ଷଣେ

ବିଧାତାର ଆଶୀର୍ବାଦେ ଲକ୍ଷ୍ମୀ ମୂର୍ତ୍ତିମତୀ,

 

ହେବୁ ତୁ ଉତ୍କଳଭୂମି ବୀରମାତା ସତି

Image

 

ନବ ଯୁଗ

 

(୧)

 

ଶୁଣ ନରେ ନବ ସମ୍ବାଦ ବାରେ ଡେରି ଶ୍ରବଣ,

 

ନବ ଯୁଗ ବିଭୁ-ବିଧାନେ ଆସୁଅଛି ବହନ

ମଙ୍ଗଳବାଜଣା ବାଜୁଛି ଶୁଣ ଭାରତ-ଦ୍ୱାରେ,

 

ଚୌଦିଗେ ଉଡ଼ୁଛି ବିଜୟ-ବାନା ଅନାଅ ବାରେ

ପ୍ରଭାତିଲା ଦୁଃଖ-ଶର୍ବରୀ ଦେଖ ଭାଇ ଆକାଶେ,

 

ସ୍ୱରଗର ପ୍ରେମ-ଆଲୋକ ଚଉଦିଗେ ପ୍ରକାଶେ

ହିରଣ୍ମୟ ପ୍ରେମ-କିରଣ ଦେଖ ଭାରତ-ଶିରେ,

 

ବିଛିନ୍ନ ବିଭିନ୍ନ ଭାରତ ଏକ ହେଉଛି ଧୀରେ

ବର୍ଣ୍ଣ-ଭେଦ, ଧର୍ମ-ଭେଦର ଦିନ ହେଉଛି ଶେଷ,

 

ମହାଯୋଗେ ହେବ ଭାରତ ମହାଭାରତ ଦେଶ

ପଞ୍ଜାବ, ଅଯୋଧ୍ୟା, ବଙ୍ଗଳା, ରାଜବାଡ଼ା, ଗୁର୍ଜର,

 

ତୈଲଙ୍ଗ, କର୍ଣ୍ଣାଟ, ଉତ୍କଳ, ମହାରାଷ୍ଟ୍ର ସଙ୍ଗର

ଗାଉଛନ୍ତି ମହାସଙ୍ଗୀତ ଜୟ ଭାରତ ଜୟ;

 

ଏକ ଜାତି ଆମ୍ଭେ ସରବେ, ତେବେ ଆଉ କି ଭୟ ?

 

 

 

(୨)

 

ପୁଣି ଶୁଣ ନବ ସମ୍ବାଦ ସର୍ବେ ଉଲ୍ଲାସେ ମାତି,

 

ଏକ ମାତ୍ର ବିଶ୍ୱ-ବିଧାତା, ଏକ ମାନବ-ଜାତି

ଆସିୟା, ୟୁରୁପା, ଆଫ୍ରିକା, ଆମେରିକା ସଙ୍ଗତେ

 

ସମ୍ମିଳନ ହେଉଅଛନ୍ତି ପ୍ରେମ-ବିଧାନମତେ

ପୂରୁବ ପଶ୍ଚିମ ଉତ୍ତର ପୁଣି ଦକ୍ଷିଣ ଆଶା

 

ଗାଉଛନ୍ତି ପ୍ରେମ-ସଙ୍ଗୀତ କିବା ଅମୃତ ଭାଷା

ପୃଥିବୀ ଡାକଇ ସକଳେ ଶୁଣ ଜଗତବାସୀ,

 

ମୋ ଜନନୀ ତୁମ୍ଭ ଜନନୀ, ହୁଅ ପ୍ରେମେ ବିଶ୍ୱାସୀ

ସ୍ୱରଗର ପ୍ରେମ-ବାଦିତ୍ର ହୃଦ-ଉଲ୍ଲାସକାରୀ

 

ବାଜଇ ମଧୁରେ ଚୌଦିଗେ, ଶୁଣ ହେ ନରନାରୀ

ପ୍ରେମର ବିଜୟ-ପତାକା ଉଡୁଅଛି ଅମ୍ବରେ,

 

ଜୟ ପ୍ରେମ ଜୟ ଗାଅରେ ଗାଅ ମଧୁର ସ୍ୱରେ

କୋଟି କୋଟି କଣ୍ଠ ମିଳାଇ ଗାଅ ଆନନ୍ଦେ ମାତି–

 

ଏକମାତ୍ର ବିଶ୍ୱ-ବିଧାତା, ଏକ ମାନବ-ଜାତି

 

(୩)

 

କେ ଅଛ ଉତ୍କଳ-ଭବନେ ଜାଗ ଜାଗ ସରବେ,

 

ଘୋଷ ଏହି ନବ ସଂବାଦ ଘୋର-ଗମ୍ଭୀର ରବେ

ତେଜି ମହାନିଦ୍ରା ବହନ ଉଠ ଉତ୍କଳବାସୀ,

 

କୁସଂସ୍କାର-ନାଗପାଶକୁ ଜ୍ଞାନ-ଖଡ୍ଗେ ବିନାଶି

ପାସୋରିଲ ନିକି ମହିମା ପିତୃ-ପିତାମହର,

 

ଲିଙ୍ଗରାଜ ତୁଙ୍ଗ ମନ୍ଦିର ଖଣ୍ଡଗିରି-କନ୍ଦର,

ଜଗନ୍ନାଥ ବଡ଼ ଦେଉଳ, କଣାରଖ କୀରତି,

 

ଯାଜପୁରେ ଶୁଭ ବିଜୟ-ସ୍ତମ୍ଭ ଦେବମୂରତି

ଶତ ଶତ ଦେବ-ମନ୍ଦିର, ଶତ କୀରତି-ସ୍ତମ୍ଭ,

 

କେ ରଚିଲା କହ ଉତ୍କଳେ ଖର୍ବି ପର୍ବତ ଦମ୍ଭ ?

 

କଳିଙ୍ଗ-ଧରଣୀ-ମହିମା ସ୍ମର ସ୍ମର ହେ ବାରେ,

 

ଜାଗ ଜାଗ ଲାଗ ଲାଗ ହେ ଉତ୍କଳର ଉଦ୍ଧାରେ

ଜଡ଼ତା ବିଷାଦ ନିରାଶା ଏବେ ତେଜି ବହନ,

 

ଉଠ ଆଉ ମଠ ନ କର, ଘେନ ଏ ଶୁଭ କ୍ଷଣ

Image

 

ଜୟଗାନ

 

ଜୟ ଦେବି ! ଜନ୍ମଭୂମି

 

କୀର୍ତ୍ତି-କିରୀଟଧାରିଣୀ

ବନ୍ଦେ ଦେବି ! ଆଶାମୟୀ

 

ନିଗୂଢ଼ ଶକ୍ତିଶାଳିନୀ

।୧।

ଯୁଗ-ଯୁଗାନ୍ତ ମୋହ-ଅନ୍ତେ

 

ଜାଗ ମା ବୀର୍ଯ୍ୟଶାଳିନୀ

ବିଭୁ ପ୍ରସାଦେ ଜ୍ୟୋତିର୍ମୟୀ

 

ହୁଅ ମା ଦୀନ-ପାଳିନୀ

।୨।

ଭୟ ଅବସାଦ ପାଷାଣ ଭାର

 

ହର ମା ଭୟହାରିଣୀ

ନବ ନବ ଆଶା ନବୀନ ତେଜ

 

ଦିଅ ମା ଭର୍ଗ-ଶାଳିନୀ

।୩।

ମଳିନ ଆନନେ ଅମଳ ହାସ୍ୟ

 

ପ୍ରକାଶ ଜଗନ୍ମୋହିନୀ

ସେ ମୁଖ ପ୍ରତିଭା ମହିମା ଦେଖି

 

ପଳାଉ ଦୁଃଖ-ଯାମିନୀ

।୪।

 

 

ତବ ଜାଗରଣୀ ଅଭୟଗୀତି

 

ଗାଅ ମା ଦୀକ୍ଷା-ଦାୟିନି

ଶୋଣିତ ମୋହର ଉଠୁ ମା ନାଚି

 

ଶୁଣି ତବ ଗୀତ-ରାଗିଣୀ

।୫।

ଏ ପ୍ରାଣ ଅର୍ପଇ ଚରଣେ ତୋହର

 

ଘେନ ମା’ ପ୍ରାଣ-ଦାୟିନି

ଦେ ମା ଶକ୍ତି, ଦେ ମା’ ବୀର୍ଯ୍ୟ

 

ସର୍ବ-କଲ୍ୟାଣରୂପିଣୀ

।୬।

Image

 

ସଙ୍ଗୀତ

(ତୋଡ଼ିପରଜ –ଆଠତାଳୀ)

ପ୍ରାଣସୋଦର ହେ ଆସ ଆସ ସର୍ବେ ଭାଇ ।

ଡାକୁଛନ୍ତି ମାତା ଉତ୍କଳ ଜନନୀ

ଶ୍ରୀପଦେ ମିଳିବାପାଇଁ ।

ସେ ଶ୍ରୀମୁଖ ବାଣୀ ଶୁଣ କର୍ଣ୍ଣ ଡେରି,

ଆସ ଆସ ସର୍ବେ ଧାଇଁ;

ଭାଇ ପାଶେ ଭାଇ ଉଭା ହୁଅ ଆସି

ମାତୃପାଦପଦ୍ମ ଧ୍ୟାଇ ।

କୋଟି ଶିର ଟେକି       ମା ମା ବୋଲି ଡାକ

କୋଟି କଣ୍ଠକୁ ମିଳାଇ;

କଳହ ଜଞ୍ଜାଳ ଲାଜ ଭୟ ଦୁଃଖ

ଯାଉ ଯାଉ ହେ ପଳାଇ ।

ପ୍ରାଣର ବନ୍ଧନେ ଏକ ହୋଇ ସର୍ବେ

ଉତ୍କଳ କଲ୍ୟାଣପାଇଁ;

ଏ ଶୁଭ ଲଗନେ ପୂଜ ଭକ୍ତିଭରେ

ଶୁଭଦାତା ବିଶ୍ୱସାଇଁ ।

Image

 

ଜାତୀୟ ସଙ୍ଗୀତ

 

(୧)

 

(ଲକ୍ଷ୍ନୌ ଠୁଂରି)

 

ବାଜୁ ମିଳନର ଶୁଭ ଶଙ୍ଖଧ୍ୱନି,

 

ଜାଗୁ ଆନନ୍ଦରେ ଉତ୍କଳ ଧରଣୀ

ପାହିଲାଣି ଏବେ ନିରାଶା-ଶର୍ବରୀ,

 

ଡାକୁଛନ୍ତି ମାତା କେତେ ଆଶା କରି

ଜାଗ ହେ ସରବେ ଉତ୍କଳ ସନ୍ତାନେ

 

ଏକତାର ମନ୍ତ୍ର ଜପି ପ୍ରାଣେ ପ୍ରାଣେ

ଗଞ୍ଜାମ, ମୋଗଳ-ବନ୍ଦୀ, ଗଡ଼ଜାତ,

 

ସମ୍ବଲ୍‍ପୁର ଧରି ପରସ୍ପର ହାତ

ଭାଇ ଭାଇ ବୋଲି ପରସ୍ପର ପାଶେ

 

ଉଭାହୁଅ ଏବେ ପ୍ରେମର ଉଲ୍ଳାସେ

ଭିନ୍ନ ଭିନ୍ନ ଅଙ୍ଗ-ମାନ ଉତ୍କଳର

 

ସର୍ବେ ମିଳି ହୁଅ ଏକକଳେବର

ପ୍ରେମ-ବନ୍ଧନରେ ସର୍ବେ ମିଳି ଏକ

 

ନୀଚ ସ୍ୱାର୍ଥ ନାଶି ବିରାଜୁ ବିବେକ

କୋଟି କଣ୍ଠ ମିଶି ଯାଉ ଏକାତନେ,

 

ଆନନ୍ଦେ ଗାଅ ହେ ଉତ୍କଳ-ସନ୍ତାନେ

ଜାଗୁ ନବ ଆଶା ଜାଗୁ ନବ ପ୍ରାଣ,

 

ବିଧାତାର ବଳେ ହୁଅ ବଳୀୟାନ

 

 

(୨)

 

ଗୌରବଶାଳିନୀ କୀରତିମାଳିନୀ

 

ସନ୍ତାନପାଳିନୀ, ଧନ୍ୟ ଏ ଉତ୍କଳ-ଧରଣୀ ମା

(ସେ) ମା ନାମ ଉତ୍ସବେ ଭୂମାନନ୍ଦ ରବେ

 

ହେ ଭାଇ ସରବେ, ଗାଅ ଆଜି ସେହି ମା ମହିମା

ମହାକାଶପଟେ ମହୋଦଧିତଟେ

 

ନୀଳାଦ୍ରି କଟକେ ଦେଖ ହେ ପବିତ୍ର ମା ପ୍ରତିମା

ଭୂତଳଶୋଭିନୀ ତୀର୍ଥ କିରୀଟିନୀ

 

ଧର୍ମବିଧାୟିନୀ କଲ୍ୟାଣ-ସମ୍ପଦଦାୟିନୀ ମା

ନିଦ୍ରିତ ସନ୍ତାନେ ଅମୃତ ଆହ୍ୱାନେ

 

ଅଭୟ ପ୍ରଦାନେ ଡାକନ୍ତି ଅମୃତଭାଷିଣୀ ମା’

ଏ ସଭା ଅଙ୍ଗନେ ଏହି ଶୁଭକ୍ଷଣେ

 

ଡାକନ୍ତି ଗୋପନେ ଗୋଟି ଗୋଟି ନାମ ଉଚ୍ଚାରି ମା

(ତେବେ) ଜାଗରେ ଜାଗରେ ପୁଣ୍ୟାନୁରାଗରେ

 

ଦେଖରେ ଆଗରେ ପ୍ରାଣର ମା-ମୂର୍ତ୍ତି ନିରୂପମା

ପ୍ରେମର ଉଲ୍ଲାସେ ଭକ୍ତିର ଉଚ୍ଛ୍ୱାସେ

 

ଆଶାର ଆଶ୍ୱାସେ ଭୁଞ୍ଜ ନେତ୍ରୋତ୍ସବ ମଧୁରିମା

ସେ ବାଣୀ ଶ୍ରବଣେ ସେ ସ୍ନେହ ସ୍ମରଣେ

 

ଜାଗୁ ପ୍ରାଣେ ପ୍ରାଣେ ସେହି ଜନନୀର ଆରାଧନା

ଉତ୍କଳ-ମାତାର ଜୟ-ଜୟ-କାର

 

ସର୍ବ ହେ ପ୍ରଚାର ଧ୍ୟାୟି ସେ ମାତାର ଶ୍ରୀଗରିମା

ଯାର ସୁଧା ବାଣୀ ଡାକିଅଛି ଆଣି

 

ପୁତ୍ର ପ୍ରାଣ ଟାଣି ଅଧମ ସନ୍ତାନେ କରି କ୍ଷମା

ବାରେ ବୋଲ ସର୍ବେ କୋଟି କଣ୍ଠ ରବେ

 

ଏ ବିଶାଳ ଭବେ ଜନ୍ମଭୂମି ପ୍ରାଣ-ଜନନୀ ମା

ମା ମନ୍ତ୍ରରେ ଦୀକ୍ଷା ମାତୃସେବା ଶିକ୍ଷା

 

ମା ଚରଣେ ଭିକ୍ଷା ଏ ମହାଧର୍ମ କାହିଁ ସୀମା

ଭାଇ ଭାଇ ମିଳି ଜୀବନସଙ୍ଖାଳି

 

ଶ୍ରୀପୟରେ ଢାଳି ସାଧିବା ପ୍ରାଣର ଶ୍ରୀ ପୂର୍ଣ୍ଣିମା

 

(୩)

 

ଆସ ବ୍ରହ୍ମବାଣୀ ରାଣୀ ଏ ଉତ୍କଳ-ଭୁବନେ,

ଧୋଇ ପ୍ରାଣ ରାଜ ଦେବି, ପ୍ରାଣବେଦି-ଆସନେ ।

ମୋହେ ଅନ୍ଧ ଉତ୍କଳ-ଚିତ ଅକ୍ଷମ ତବ ଦର୍ଶନେ,

ମାର୍ଜିତ କର ଧ୍ୟାନ-ନେତ୍ର ମନ୍ତ୍ରପୂତ ଅଞ୍ଜନେ ।

ଦେଖାଅ ଜନନୀ ଉତ୍ସବମୟୀ ତୁମ୍ଭ ପ୍ରେମ-ଆନନେ,

ସେ ପ୍ରେମେ ଲାଗୁ ମା ମହାମହୋତ୍ସବ ଉତ୍କଳର ପ୍ରାଙ୍ଗଣେ ।

ଜାଗରାଣୀ ବୀଣା ବାଜି ଉଠୁ ତୋର ଉତ୍କଳ କୁଞ୍ଜ କାନନେ,

ଜଗାଇ କୋବିଦ ୠଷି କବି ପ୍ରାଣ ଦିବ୍ୟଗାଥା ପ୍ରେରଣେ ।

ପୂରାଅ ଆଶା ସ୍ଫୁରାଅ ଭାଷା ନବପ୍ରାଣ ସ୍ପନ୍ଦନେ,

କର ମା ଦୀକ୍ଷିତ ନରନାରୀବୃନ୍ଦେ ସତ୍ୟମନ୍ତ୍ର ସାଧନେ ।

 

(୪)

 

[ ରାଗ – ପଞ୍ଚମ ବରାଡୀ (ତ୍ରିପଟା) ]

ଉଠ ହେ ଉତ୍କଳବାସି

ଦୂରେ ପିଙ୍ଗି ଦୁଃଖରାଶି,

ଛେଦି ଜଡ଼ତାର ନାଗପାଶ,

ସକଳ ଦୁରିତଜିଣା

ବିଶ୍ୱରାଣୀ ବାଣୀ-ବୀଣା

ବାଜେ ପୂରି ଉତ୍କଳ ଆକାଶ ହେ ନରନାରୀ

ଅଶୋକ ଅଭୟ ସେ ସଙ୍ଗୀତ,

ଅନନ୍ତ ଅମୃତେ ଉଚ୍ଛ୍ୱାସିତ,

ଜଳେ ସ୍ଥଳେ ଆକାଶାରେ

ୠଷି-କବି-ମାନସରେ

ସୁଗମ୍ଭୀର ମନ୍ଦ୍ରେ ନିନାଦିତ ହେ ।

ଆଜି ଏହି ସାୟନ୍ତନ

ସାହିତ୍ୟ-ସଭା-ପ୍ରାଣଙ୍ଗ

ସେ ଅନାଦି ନାଦ ଆଳାପନେ

ପୁଲକପୂରିତ ପ୍ରାଣ,

ମର୍ମେ ମର୍ମେ କମ୍ପମାନ

ଅପୂର୍ବ ବସନ୍ତ ସମୀରଣେ ହେ ନରନାରୀ;

ପ୍ରାଣରାଣୀ-ପଦତଳେ

ପ୍ରାଣ-ଶତଦଳଦଳେ

ହସୁଅଛି କନକ କିରଣ,

ଆଶା ପ୍ରୀତି ବିଶ୍ୱାସର

ସୁମାନସ-ସରୋବର

ହିଲ୍ଲୋଳିତ ଶୀତଳ ଶୋଭନ ହେ ।

ଗାଉଛନ୍ତି ବାଣୀଶ୍ୱରୀ

ଶ୍ରୀକରେ ସେ ବୀଣା ଧରି

ମହାଆହ୍ୱାନର ମହାଗୀତି,

ସକଳ ଲାଞ୍ଛନା ଲାଜ

ଅନୃତ ଅହନ୍ତା ବ୍ୟାଜ

ଦୂର ହେଉ ଅକାରଣ ଭୀତି ହେ ନରନାରୀ;

କେ ଆଉ ଜଡ଼ତା-ପାଶେ

ଜଞ୍ଜାଳର କାରାବାସେ

ରହିଥିବ ପଡ଼ି ଅବସାଦେ,

ଦେଖ ଦେଖ କେତେ ଜାତି

ଚାଲିଛନ୍ତି ଦିବା ରାତି

ଶୁଣି ସେ ସଙ୍ଗୀତ ସୁସମ୍ବାଦେ ହେ ।

ଚାଲ ଉତ୍କଳସନ୍ତାନ,

ସମ୍ମୁଖେ ଅମୃତଧାମ

ମାଜି ନେତ୍ର ଜ୍ଞାନ-ଅଞ୍ଜନରେ,

ହୁଅ ସର୍ବେ ଅଗ୍ରସର

ଧରି ପରସ୍ପର କର

ଜୀବନର ବ୍ରତ ସାଧନରେ ହେ ନରନାରୀ;

ଦେଖି ଦେବୀ-ପ୍ରେମମୁଖ,

ଯାଉ ହେ ସକଳ ଦୁଃଖ,

ପୂରୁ ଆଶା ସ୍ଫୂରୁ ଭାଷା ପ୍ରାଣେ,

ଦିବ୍ୟ ଜ୍ଞାନ ଶୁଦ୍ଧ ପ୍ରୀତି

ସ୍ୱରଗର ପୁଣ୍ୟ ନୀତି

ଉତ୍କଳର ବଢ଼ାଇ ସମ୍ମାନ ହେ ।

 

(୫)

 

ମହୀଜାଗରଣେ ମହାଶୁଭକ୍ଷଣେ

ଭାରତ-ରମଣୀଗଣ !

ଜାଗ ଆନନ୍ଦରେ ଶୁଣ ଆନନ୍ଦରେ

ସୁମଙ୍ଗଳ ଆମନ୍ତ୍ରଣ ।୧।

ଭରତର କନ୍ୟା ହୁଅ ଏବେ ଧନ୍ୟା

ଡାକଇ ବିଶ୍ୱଭୁବନ,

ଶଙ୍କିତ ସଂଶୟ ମିଥ୍ୟା ଲାଜ ଭୟ

ତେଜ ତେଜ ଗୋ ବହନ ।୨।

କି କାର୍ଯ୍ୟ ତୁମ୍ଭର କି ଶକ୍ତି ତୁମ୍ଭର

ହେଜ ହେଜ ଅନୁକ୍ଷଣ,

କେଉଁ ପଥ ଧରି କି ମନ୍ତ୍ର ସୁମରି

ଯିବ ଗମ୍ୟ ନିକେତନ ।୩।

ଏ ବଶ୍ୱସଭାରେ ପବିତ୍ର ପ୍ରଭାରେ

ଉଜ୍ଜ୍ୱଳ କରି ଭୁବନ,

ଜ୍ଞାନ ପ୍ରେମ ଭକ୍ତି ସ୍ୱରଗର ଶକ୍ତି

ନିତ୍ୟ କର ଉପାର୍ଜନ ।୪।

ବିଶ୍ୱ-ପରିବାରେ ପବିତ୍ର ସେବାରେ

ପ୍ରାଣ କରି ସମର୍ପଣ,

ମଙ୍ଗଳମୟଙ୍କ ମଙ୍ଗଳ ଆଶିଷେ

ସାର୍ଥକ କର ଜୀବନ ।୫।

 

(୬)

 

ଏ କେ ମହାଦେବୀ ଆଜି ଉତ୍କଳ-ଉଦୟାଚଳେ,

ଉତ୍ସବ-ଉଲ୍ଲାସେ ଉଭା ସ୍ୱାହା ଯଥା ହୋମାନଳେ ।

କର-ପୁଟେ ଉର୍ଦ୍ଧ୍ୱମୁଖେ ବିଶ୍ୱାସର ମହାସୁଖେ

ଦେଖ ମହାଜ୍ୟୋତିର୍ମୟ ସେ ପୁଣ୍ୟ-ପଦ-କମଳେ ।

ଶୁଣ ଶୁଣ ନର ନାରୀ ହୃଦୟ-ପୁଲକ-କାରୀ

ବିଶ୍ୱ-ଗୀତ-ଛନ୍ଦ-ତାନ ବିହରେ ସେ ପଦ-ତଳେ ।

ତାଙ୍କରି ଆହ୍ୱାନ-ନାଦେ ତେଜି ମୋହ ଅବସାଦେ

କେତେ ଦେଶ କେତେ ଜାତି ଶ୍ରେଷ୍ଠ ହେଲେ ଧରାତଳେ ।

କେତେ ୠଷି କେତେ ଜ୍ଞାନୀ       ଶୁଣି ତାଙ୍କ ମହାବାଣୀ

କଲେ ଧରଣୀକୁ ଧନ୍ୟ ଜ୍ଞାନ-ପ୍ରେମେ-ପୁଣ୍ୟ-ବଳେ ।

ଅମଅତମୟ ମହାନ ବିଶ୍ୱଜିଣା ସେ ଆହ୍ୱାନ

ଉତ୍କଳ-ଉଦ୍ଧାର ଲାଗି ଆସିଛି ଏବେ ଉତ୍କଳେ ।

ଉଠ ତେବେ ଉଠ ସର୍ବେ ତେଜି କ୍ଷୁଦ୍ର ମୋହ ଗର୍ବେ

କର୍ମ-ଧାମ-ସିଂହଦ୍ୱାରେ ଉଭାହୁଅ ଦଳେ ଦଳେ ।

ମହାଦେବୀ ଭାରତୀର ଜୟ ସଙ୍ଗୀତ ଗମ୍ଭୀର

ମହୋତ୍ସହେ ଗାଅ ଆଜି ମାତି ଉତ୍ସବ-ମଙ୍ଗଳେ ।

ଜୟ ମା ଭାରତୀ-ରାଣୀ ବିଶ୍ୱକଳ୍ପ ବୀଣାପାଣି

ଉଦ୍ଧର ଉଦ୍ଧର ଦେବି, ଏହି ପତିତ ଉତ୍କଳେ ।

ପୁଣ୍ୟମୟ ତୋ ପରଶେ ତୋ ଉଦାର ଆଦରଶେ

ଜ୍ଞାନ-ଶତଦଳ ଫୁଟୁ ଉତ୍କଳ-ମାନସ-ଜଳେ ।

 

(୭)

 

(ରାଗ-ଆଶାବରୀ-ତାଳ ଯତ୍‌)

ବାଣୀ ବରଦେ ଗୋ, ବରାଭୟବିଧାୟିନୀ;

ମୃତ୍ୟୁ-ଜିଣା-ବୀଣା-ବାଦିନୀ ଭାରତୀ

ସୁଧା-ଧାରା-ବରଷିଣୀ ।

ଆସ ମା ଆସ ମା ଏ ଉତ୍କଳ ଧାମେ

ନବ-ପ୍ରାଣ-ପ୍ରଦାୟିନୀ,

ସୁପ୍ତ ଅଚେତନ ନିର୍ଜୀବ ନିସ୍ପନ୍ଦ

ଦେଖ ଉତ୍କଳ ମେଦିନୀ ।୧।

ଉତ୍କଳ ଉଦୟ- ଅଚଳେ ବିରାଜ,

ନାଶ ଅବିଦ୍ୟା-ଯାମିନୀ,

ଉଜ୍ଜ୍ୱଳ କର ମା ଉତ୍କଳସଂସାର

ଜ୍ଞାନ-ଭାନୁପ୍ରକାଶିନୀ ।୨।

ମିଥ୍ୟା ମୋହ ତ୍ରାସ ଆଳସ୍ୟ ବିଳାସ

ହର ବିଷାଦ-ହାରିଣୀ,

ଢାଳ ମା ଉତ୍କଳେ ସ୍ୱର୍ଗର ଚେତନା

ପୁଣ୍ୟମୟୀ ମନ୍ଦାକିନୀ ।୩।

ଜାଗି ଉଠୁ ପ୍ରାଣ ମହାମହୋତ୍ସବେ

ମହୋତ୍ସବ-ପ୍ରସବିନୀ,

ବାଜି ଉଠୁ ମା ଗୋ ନିଖିଳ ହୃଦୟେ

ତୋର ଅମୃତ-ରାଗିଣୀ ।୪।

ଆଶା ଉଦ୍ୟମର ଉତ୍ସ ଉତ୍ସାରିତ

କର ଉତ୍ସାହ-ଦାୟିନୀ,

ଦିବ୍ୟ-ଜ୍ଞାନ-ମନ୍ତ୍ରେ ଦୀକ୍ଷିତ ସକଳେ

କର ମା ଜ୍ଞାନ-ରୂପିଣୀ ।୫।

Image